2 Timothy 4
ବାକ୍ୟ ପ୍ରଚାରରେ ଉଦ୍ଯୋଗ
1ମୁଁ ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି, 2ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । 3କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, 4ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ । 5କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର | 6କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ । 7ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି; 8ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।ବ୍ୟକ୍ତିଗତ ନିର୍ଦ୍ଦେଶ
9ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର; 10କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି କ୍ରେସ୍କେନସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି । 11କେବଳ ଲୂକ ମୋ ସହିତ ଅଛନ୍ତି ।ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ । 12ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି | 13ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ । 14କଂସାରି ଆଲେକ୍ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ; 15ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା । 16ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ । 17କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି; 18ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।
ଶେଷ ଶୁଭେଚ୍ଛା
19ପ୍ରିସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ । 20ଏରାଷ୍ଟ କରିନ୍ଥରେ ରହିଅଛନ୍ତି, କିନ୍ତୁ ତ୍ରଫିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତରେ ଛାଡ଼ିଦେଇ ଆସିଅଛି । 21ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର । ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । 22ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ । ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।
Copyright information for
OriULB